
7ଜାନୁଆରୀ 1962ରେ ସମ୍ବଲପୁର ସହରର ମୁଦିପଡାରେ ନବକିଶୋର ଦାସଙ୍କ ଜନ୍ମ l ସେ ମୁଦିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା, ସମ୍ବଲପୁର ଜିଲ୍ଲା ସ୍କୁଲରୁ ହାଇ ସ୍କୁଲ ଶିକ୍ଷା ଗ୍ରହଣ କରିଥିବାବେଳେ 1978 ମସିହାରେ ଭୋଜପୁର ଆଶ୍ରମ ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ l ଗଙ୍ଗାଧର ମହାବିଦ୍ୟାଳୟରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିବା ପରେ ସେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଅଧିକ ଶିକ୍ଷା ଲାଭ କରିଥିଲେ l ନବ ବାବୁ 1989ରେ ଇଂରାଜିରେ ଏମଏ ଓ 1994ରେ ଆଇନରେ ସାନ୍ନାତକ ଡିଗ୍ରୀ ହାସଲ କରିଥିଲେ l ମୁଦିପଡା ନିବାସୀ ନୃସିଂହ ଦାସ ଓ ବିଷ୍ଣୁପ୍ରିୟା ଦାସଙ୍କ ଦ୍ୱିତୀୟ ପୁତ୍ର ଥିଲେ ନବକିଶୋର l ତାଙ୍କର ବଡ଼ଭାଇ ରାଜକିଶୋର ଦାସ, ଦୁଇ ସାନ ଭାଇ ବ୍ରଜକିଶୋର ଓ ଯୁଗଳ କିଶୋର ଦାସ ସମ୍ବଲପୁରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ l ନବ ମିନତୀ ଦାସଙ୍କୁ ବିବାହ କରିଥିଲାବେଳେ ସେମାନଙ୍କ ର ଗୋଟିଏ ପୁଅ ଵିଶାଲ ଓ ଗୋଟିଏ ଝିଅ ଦୀପାଳି ଅଛନ୍ତି l ଝିଅ ଦୀପାଳିଙ୍କୁ ନବ ନିଜର ରାଜନୌତିକ ଉତ୍ତରାଧିକାରୀଭାବେ ପରିଚିତ କରାଉଥିଲେ l ନିଜ ପିତାମାତାଙ୍କ ନାମରେ ଦା୍ତ୍ତବ୍ୟ କାର୍ଯ୍ୟ ପାଇଁ ସେ ନୃସିଂହବିଷ୍ଣୁପ୍ରିୟା ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ ଗଠନ କରିଥିଲେ l

ସମ୍ବଲପୁର ସହରରେ ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିଲା ନବ କିଶୋର ଦାସଙ୍କ ଜୀବନ l 1980 ମସିହାରେ ନବ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ସୁରେଶ ପୂଜାରିଙ୍କ ନେତୃତ୍ୱରେ ହୋଇଥିବା ଛାତ୍ର ଆନ୍ଦୋଳନରେ ପ୍ରଥମେ ସାମିଲ ହୋଇଥିଲେ ହେଲେ କୌଣସି କାରଣରୁ ମତାନ୍ତର ହେବାପରେ ସେ ଆନ୍ଦୋଳନ ମାଝୀରୁ କଂଗ୍ରେସ ଆଡ଼କୁ ଢଳି ଏହାକୁ ବିରୋଧ କରିଥିଲେ l ସେହି ସମୟରୁ ସେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ଛାତ୍ର ରାଜନୀତିକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ l କଂଗ୍ରେସରେ ଯୋଗ ଦେବାପରେ ଦଳରେ ତାଙ୍କର ପତିଆରା ବୃଦ୍ଧି ପାଇଥିଲା l ସେ ଛାତ୍ର ଓ ଯୁବକଂଗ୍ରେସର ରାଜ୍ୟ ସାଧାରଣ ସଂପାଦକଭାବେ କାର୍ଯ୍ୟ କରିଥିଲେ l ସେ ସେତେବେଳେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅତ୍ୟନ୍ତ ପ୍ରିୟପାତ୍ର ଥିଲେ ଏବଂ ସମ୍ବଲପୁର ଜିଲ୍ଲା କଂଗ୍ରେସ ରାଜନୀତିକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲେ l ଫଳରେ ସ୍ଥାନୀୟ କଂଗ୍ରେସ ନେତାମାନେ ତାଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ l
ଯୁବାବସ୍ଥାରୁ ନବ ଏଭଳି ଜଣେ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କୁ ବିରୋଧ କରିବା ପାଇଁ ତାଙ୍କ ଦଳ କଂଗ୍ରେସ ଓ ବିରୋଧୀ ଦଳର ନେତାମାନେ ଏକାଠି ହେଉଥିଲେ l ଜିଏମ କଲେଜରେ ଦୀର୍ଘ ଦୁଇଦଶନ୍ଧୀ ଧରି ଛାତ୍ର ରାଜନୀତିକୁ ନିୟନ୍ତ୍ରଣ କରିଥିଲେ l କିନ୍ତୁ ଗୋଟିଏଥର ନିଜେ ଲଢ଼ି ପରାସ୍ତ ହୋଇଥିଲେ l 1983 ମସିହା ଘଟଣା l ସେ ଜିଏମ ଛାତ୍ରସଂସଦର ସାଧାରଣ ସଂପାଦକ ପଦରେ ଲଢ଼ି ଓମକାର ତ୍ରିପାଠୀଙ୍କଠାରୁ ହାରି ଯାଇଥିଲେ l ଏହାପରେ ସେ ନିଜେ କେବେ ଲଢ଼ି ନଥିଲେ ବି 1998 ମସିହାରେ ଜିଏମରେ ଶେଷ ପ୍ରତ୍ୟକ୍ଷ ନିର୍ବାଚନ ପର୍ଯନ୍ତ ପ୍ରତିବର୍ଷ ତାଙ୍କ ପ୍ରାର୍ଥୀ ଛିଡା ହେଉଥିଲେ l
ସମ୍ବଲପୁରରେ ଛାତ୍ରଜୀବନରୁ ଜଣେ ବାହୁବଳୀ ନେତାଭାବେ ନିଜ ଛବି ତିଆରି କରିଥିବା ନବଙ୍କୁ କିନ୍ତୁ ଭୋଟ ରାଜନୀତିରେ ସଫଳତା ପାଇଁ ଅନ୍ୟ ଠିକଣା ଖୋଜିବାକୁ ପଡିଥିଲା l ବାହୁବଳୀ ଛବି ସମ୍ବଲପୁରର ସାଧାରଣ ପ୍ରତ୍ୟକ୍ଷ ରାଜନୀତିରେ ତାଙ୍କ ପାଇଁ ବାଧକ ସାଜିଥିଲା l ଜାନକୀବାବୁ ନବଙ୍କୁ ଟିକଟ ଦେବାକୁ ଚାହିଁଥିଲେ ବି ସ୍ଥାନୀୟ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ତାହା ଗ୍ରହଣୀୟ ହୋଇନଥିଲା l

ଝାରସୁଗୁଡାରେ ସତେଯେମିତି ନବଙ୍କୁ ସବୁପ୍ରକାର ସଫଳତା ଅପେକ୍ଷା କରି ରହିଥିଲା l ସମ୍ବଲପୁରରୁ ଯିବାପରେ ସେ ପ୍ରଥମେ ସରବାହଲ ଅଞ୍ଚଳରେ ଏକ ଭଡାଘର ନେଇ ରହୁଥିଲେ ଓ ନିଜ ପାଇଁ ରାଜନୌତିକ କ୍ଷେତ୍ର ପ୍ରସ୍ତୁତ କରିଥିଲେ l ସେଠାରେ ନିଜ ସଂଗଠନ ଗଢ଼ିଥିଲେ l 2004 ମସିହାରେ ସେ ଝାରସୁଗୁଡାରୁ କଂଗ୍ରେସ ଟିକଟରେ ଲଢ଼ି ପରାସ୍ତ ହୋଇଥିଲେ l 2009 ଓ 2014ରେ କଂଗ୍ରେସ ମୂଳପୋଛ ହୋଇ ଯାଇଥିଲେ ବି ଏକମାତ୍ର ଝାରସୁଗୁଡାରେ ନବଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ଗଠନ କରିଥିଲା l ସାରାରାଜ୍ୟରେ ଏକାକୀ କଂଗ୍ରେସର ଝଣ୍ଡାକୁ ଟେକି ଧରିଥିବା ନବ 2019 ନିର୍ବାଚନ ପୂର୍ବରୁ ଦଳ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ l ଏହାପରେ ଝାରସୁଗୁଡାରେ ନବଙ୍କ ଜନଧାରା ସଂପୂର୍ଣ୍ଣଭାବେ ବିଜେଡି ପକ୍ଷକୁ ମୋଡି ହୋଇଯାଇଥିଲା l ହେଲେ, ଝାରସୁଗୁଡା ରାଜନୀତିରେ ତାଙ୍କର ମୁଖ୍ୟ ରାଜନୈତିକ ପ୍ରତିଦ୍ବନ୍ଦୀ କିଶୋର ମହାନ୍ତିଙ୍କ ସହ ଗୋଟିଏ ଦଳରେ ରହିବା ପରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା l କିନ୍ତୁ ପୁରୁଣା ନେତା କିଶୋରଙ୍କୁ ବ୍ରଜରାଜନଗରକୁ ନେଇ ବିଜେଡି ନବଙ୍କୁ ହିଁ ଝାରସୁଗୁଡା ଟିକେଟ ଦେଇଥିଲା l ସେ ବଡ଼ ବିଜୟ ସହ ତୃତୀୟଥର ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସ୍ୱାସ୍ଥ୍ୟମନ୍ତ୍ରୀଭାବେ ସ୍ଥାନ ପାଇଥିଲେ l ନବ ବାବୁ ସ୍ୱାସ୍ଥ୍ୟମନ୍ତ୍ରୀ ଥିବାବେଳେ ଓଡିଶା ଏହାର ଇତିହାସର ସବୁଠୁ ସ୍ୱାସ୍ଥ୍ୟ ସଂକଟର ସାମନା କରିଥିଲେ l କୋଭିଡ ମହାମାରି ଭଳି ବଡ଼ ବିପଦକୁ ତାଙ୍କ ନେତୃତ୍ୱରେ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିଥିଲେ l

ନବକିଶୋର ଦାସ ବସ ମାଲିକଭାବେ ନିଜ ବ୍ୟବସାୟୀକ ଜୀବନ ଆରମ୍ଭ କରିଥିଲେ l ସମ୍ବଲପୁରରୁ ଗୋଟିଏ, ଦୁଇଟି ବସ ଚଳାଇ ପରେ ଏହାର ସଂଖ୍ୟା ବୃଦ୍ଧି କରିଥିଲେ l ହେଲେ ଝାରସୁଗୁଡାକୁ ଯିବାପରେ ତାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ସମୃଦ୍ଦିର ଶୀର୍ଷ ଛୁଇଁଥିଲ l ଝାରସୁଗୁଡାରେ ଶିଳ୍ପର ବିକାଶ ସହ ନବଙ୍କ ବ୍ୟବସାୟିକ ଅଭ୍ୟୁତଥାନ ହୋଇଥିଲା l ପରବର୍ତ୍ତୀ ସମୟରେ ନବ ଟ୍ରାନ୍ସପୋର୍ଟ, ରୀୟଲଇଷ୍ଟେଟ, ହୋଟେଲ ଶିଳ୍ପ ଭଳି ବ୍ୟବସାୟୀକରେ ପାଦ ଥାପି ସଫଳ ହୋଇଥିଲେ l ସମ୍ବଲପୁର – ଝାରସୁଗୁଡା ଶିଳ୍ପାଞ୍ଚଳରେ ବହୁ କାରଖାନାର ପରିବହନ ବ୍ୟବସ୍ଥାକୁ ନବ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ନିୟନ୍ତ୍ରିତ କରୁଥିଲେ l ଏକାଥିକ କାରଖାନାରେ ତାଙ୍କ ନିଜ ପରିବାର ଓ ସମର୍ଥକଙ୍କ ନାମରେ ଶହଶହ ଗାଡି ଚାଲୁଥିଲେ l ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସେ ସବୁଠୁ ଧନୀ ମନ୍ତ୍ରୀ ଥିଲେ l ସେ ନିଜ ଦଳ ବିଜେଡି ପାଇଁ ଅର୍ଥ ଯୋଗାଡ଼ରେ ବି ପ୍ରମୁଖ ଭୁମିକା ନିର୍ବାହ କରୁଥିଲେ l ସେହି କାରଣରୁ ଦଳରେ ତାଙ୍କର ଗୁରୁତ୍ୱ ଯଥେଷ୍ଟ ଅଧିକ ଥିଲା l ଆଜି ପର୍ଯନ୍ତ ପଶ୍ଚିମ ଓଡିଶାର ଯେଉଁ କେତେଜଣ ହାତଗଣିତା ରାଜନେତା ରାଜ୍ୟ ରାଜନୀତିକୁ ପ୍ରଭାବିତ କରୁଥିଲେ ବା କରିବା ଦକ୍ଷତା ରଖିଥିଲେ ସେମାନଙ୍କ ମଧ୍ୟ୍ୟରେ ନବ ଦାସ ଅନ୍ୟତମ ଓ ସଦ୍ୟତମ ଥିଲେ
Leave a comment