
ଭୁବନେଶ୍ୱର ଚାଷ କ୍ଷେତ୍ରରେ ଋଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ l ଫସଲ ଋଣର ସିଂହଭାଗ ସମବାୟ ବ୍ୟାଙ୍କଗୁଡିକ ହିଁ ଦେଇଥାନ୍ତି l ଚଷୀମାନଙ୍କର ସୁବିଧା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦେଉଛନ୍ତି l ଏହି ସୁଧବିହୀନ ଋଣର ସୁବିଧା ନେଇ କୃଷିର ବିକାଶରେ ଭାଗିଦାର ହେବାକୁ ରାଜ୍ୟସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଏବଂ ଋଣ କର୍ମଶାଳା ଉଦଘାଟନି ଉତ୍ସବରେ ଭିଡ଼ିଓ ବାର୍ତ୍ତାରେ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ l
ଓୟୁଏଟିର ସ୍ୱାମୀନାଥନ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମବାୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତୁନ ସବ୍ୟସାଚି ନାୟକ କହିଥିଲେ, କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ କୃଷି ଋଣ ସହଜ ଏବଂ ସୁଲଭରେ ଉପଲବ୍ଧ କରିବା ପାଇଁ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ବିନାସୁଧରେ ଏବଂ ଏକ ଲକ୍ଷରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ 2 ପ୍ରତିଶତ ସୁଧରେ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି l ପ୍ରତ୍ୟେକ ଚାଷୀ ପରିବାରକୁ ସମବାୟ ଆନ୍ଦୋଳନର ପରିସରଭୁକ୍ତ କରିବା ସମବାୟ ଆନ୍ଦୋଳନର ଲକ୍ଷ l କୃଷି ଉତ୍ପାଦନରେ ଓଡିଶା ରେକର୍ଡ କରିଛି l ରାଜ୍ୟକୁ ପାଞ୍ଚଥର କୃଷିକର୍ମଣ ପୁରସ୍କର ମିଳିଛି l
‘କାଳିଆ ‘ ଯୋଜନା ଓ ‘ବଳରାମ ‘ଯୋଜନା ଚାଷ ଓ ଚାଷୀର ଉନ୍ନତି ସାଧନ କରି ବେଶ ସଫଳତା ପାଇଛି l 5-ଟି ର ଉପଯୋଗ କରି ସମବାୟ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବାକୁ ପଡିବ l ସମ୍ମନିତ ଅତିଥି ଉନ୍ନୟନ କମିଶନର ଓ କୃଷି ଉତ୍ପାଦନ କମିସନର ପ୍ରଦୀପ ଜେନା କହିଥିଲେ, କୃଷି ଋଣର 75 ପ୍ରତିଶତ ସମବାୟ ବ୍ୟାଙ୍କମାନେ ହିଁ ଯୋଗାଉଛନ୍ତି l ଓଡିଶାକୁ ଅଗ୍ରଣୀ କୃଷିବିର୍ତ୍ତିକ ରାଜ୍ୟ ଭାବେ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ଦେବାରେ ସମବାୟ ବ୍ୟାଙ୍କଗୁଡିକ ଯତ୍ନବାନ ହେବା ଜରୁରୀ l ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କହିଥିଲେ ଚାଷକୁ ଲାଭଜନକ କରିବା ଆଜି ଜରୁରୀ ହୋଇପଡିଛି l ଚାଷ ପାଇଁ ବ୍ୟୟକୁ କମାଇବାକୁ ପଡିବ l ସେଥିପାଇଁ ଚାଷୀମାନେ ସାହୁକାରମାନଙ୍କଠାରୁ ଋଣ ନନେଇ ସମବାୟ ଋଣ ନେଟୱାର୍କକୁ ଆସିବାକୁ ପଡିବ l ରାଜ୍ୟର ସମସ୍ତ ମାଇକ୍ରୋ ଏଟିଏମକୁ କାର୍ଯ୍ୟକ୍ଷମ କରାଯିବ l ପ୍ୟାକ୍ସକୁ ଅଧିକ ବିକଶିତ ଓ ପ୍ରଭାବୀ କରିବା ପାଇଁ ଉନ୍ନତ ପ୍ରଶିକ୍ଷଣର ବ୍ୟବସ୍ଥା ହେବ l
ପ୍ୟାକ୍ସର କମ୍ପୁଟରୀକରଣ ସହିତ ରାଜ୍ୟରେ 1200 ନୂଆ ପ୍ୟାକ୍ସ ଗଠନ କରାଯିବ l ନାବାର୍ଡ ସାଧାରଣ ପରିଚାଳକ ସତ୍ୟରଞ୍ଜନ ପଣ୍ଡା କହିଲେ ନାବାର୍ଡ ବ୍ୟାଙ୍କ ସମବାୟ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ରହି ରାଜ୍ୟର ଚାଷୀମାନଙ୍କୁ କୃଷି ଋଣ ଦେବାରେ ମୁଖ୍ୟ ଭୁମିକା ନେଇପାରିଛି l ଓୟୁଏଟିର ସଂପ୍ରସାରଣ ବିଭାଗ ଡିନ ପ୍ରସନଜିତ ମିଶ୍ର କହିଥିଲେ, ଓୟୁଏଟି ପ୍ରତିଷ୍ଠା ହେବା ପରଠାରୁ କୃଷିର ଉନ୍ନତି ପାଇଁ ପ୍ରୟାସରତ ରହିଛି l ଚାଷୀମାନଙ୍କ ପାଖରେ ଉନ୍ନତ କୌଶଳ ପହଞ୍ଛାଇଛି କୃଷି ବିଜ୍ଞାନ କେନ୍ଦ୍ରଗୁଡିକ ବିନା ଖର୍ଚ୍ଚରେ ଚାଷୀମାନଙ୍କୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ଜ୍ଞାନକୌଶଳ ଯୋଗାଇବାରେ ଅଗ୍ରଣୀ ଭୁମିକା ନିର୍ବାହ କରିଛନ୍ତି l ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଚାଷୀଙ୍କୁ ଓୟୁଏଟିର କୃଷି ବିଜ୍ଞାନ କେନ୍ଦ୍ର ମଧ୍ୟମରେ ଉତ୍ପାଦନ, ବିପଣନ ସମ୍ବନ୍ଦୀୟ ପ୍ରଶିକ୍ଷଣ ଦିଆଯାଇପାରିଛି ବୋଲି ଶ୍ରୀ ମିଶ୍ର ପ୍ରକଶ କରିଥିଲେ l
ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ସୁଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କଗୁଡିକ ଦ୍ଵାରା ଜିଲ୍ଲାସ୍ତରୀୟ ଉତ୍ସବ ଏବଂ କର୍ମଶାଳା ଅନୁଷ୍ଠିତ ହେବ l ମାର୍ଚ୍ଚ ଶେଷ ସୁଦ୍ଧା ଗ୍ରାମପଂଚାୟତ ସ୍ତରରେ ପ୍ରାଥମିକ କୃଷି ଋଣ ସମବାୟ ସମିତି ମାନେ ଜନସଂପର୍କ ଅଭିଯାନ ଓ କର୍ମଶାର ଆୟୋଜନ କରିବେ l
Leave a comment